Share on facebook
Share on whatsapp
Share on telegram
Share on email

କବିତା – ପୃଥିବୀ

କବି – ଚିନ୍ମୟ ବାରିକ୍

ମୁଁ ଜନ୍ମ ହେବା ପରେପରେ
ପିଣ୍ଡ ବ୍ରହ୍ମାଣ୍ଡ ଦେଇ ପୃଥିବୀ ଗମୁଥିଲା!
କେଉଁଠି କେମିତି ଶୁଖିଲା ଲଣ୍ଠନ ଟିଏ ଜଳୁଥିଲା
ଯାର ନିଃଶ୍ବାସକୁ ଭେଦୁଥାଏ
ଶୁଖିଲା ଅନ୍ଧାର ଓ ମଲା ବାଉଁଶର ଅସ୍ତି।

କେହି ଜଣେ ଅବିରତ ପସୁଥିଲା
ମୋ ଶୂନ୍ୟ ଚେତନାର ଖାଲ ଭିତରକୁ,
ପୃଥିବୀକୁ ଅବିରତ ଲମ୍ବାର।

ଚାରିଆଡେ ଜୀଅନ୍ତା ନିଆଁର ଚିତ୍କାର!
ମଲା ଶବ ପଡି ରହିଥାଏ କେଉଁଏକ ସୁଦୂର କୋଣରେ,
ନଈ କୂଳରେ ଜଗିବସିଥାଏ ଷାଠିଏ ବର୍ଷର କୁଆ।

ଚାରିଆଡେ ନିରୁତା ଅନ୍ଧାର ସବୁ
ଗମୁଥାନ୍ତି ଦିଗନ୍ତ ଭିତରକୁ।
କିଛି ସମୟ ପାଇଁ ଶୋଇଥାନ୍ତି
ଆୟୁଷ ଅବୟବ ଓ ବୟଷ,
ସବା ଶେଷ ଧାଡିରେ ମଣିଷ।

ମେରୁହାଡ଼ ଲମ୍ବିଯାଏ ଜୀଅନ୍ତା
ନିଆଁ ଭିତରକୁ
ହାଡର ପାଟିରେ ଲାଗିଥାଏ
ପୂର୍ବ ପୁରୁଷଙ୍କ ଝାଳ ଓ ରକ୍ତ।

ଲୟ କିନ୍ତୁ ସେମିତି କେନ୍ଦ୍ରୀଭୂତ!
ପୋଖରୀ ତୁଠରେ ଭାସୁଛି
ଇଶ୍ଵରଙ୍କ ଚିତା ଓ ପାଉଁଶ।

ମାଟିରୁ ଜନ୍ମ ନିଅନ୍ତି
ଚିରନ୍ତନ ଶୂନ୍ୟତା!
ପୋକ ମାନେ ଲୁଚିଥାନ୍ତି
ଶେଷ ଇଶ୍ଵରଙ୍କ ଭାଗ୍ୟ ରେଖା ଉପରେ।

ତଥାପି ପାଦ ପାଏନି
ଶୂନ୍ୟ ବ୍ରହ୍ମାଣ୍ଡର ଗାତ ଭିତରକୁ।
ବାଦୁଡି ପରି ଝୁଲୁଥାଏ ଓଲଟ ବୃକ୍ଷରଫଳ
ଓ ଗୁପ୍ତ ମରଣ।
ଏଣେ ତାରାମାନେ ଜଗିଥାନ୍ତି ଉଚ୍ଚତମ ଶୃଙ୍ଗକୁ,
ଶୀର୍ଣ୍ଣ ପରମାୟୁକୁ ତଳାତଳେ ଦେଖି।

କୋଟି କୋଟି ରାତି ଶୋଇଥାନ୍ତି
ଘନ ଅନ୍ଧାରର ପେଟତଳେ!
ବର୍ଷେ ପୁରିଗଲା ଶେଷ ରାତିକୁ,
ଫୁଟି ପାରିଲା ନାହିଁ ଶେଷ ଡିମ୍ବ।

ଅସ୍ପଷ୍ଟ ଦିଶେ ଅଛୁଆଁ ବ୍ରହ୍ମାଣ୍ଡ!
ସବା ଶେଷ ଡାଳରେ ଶୋଇଛି
ମୁଣ୍ଡଳୀ ଧୂଆଁ,
ଆକାଶକୁ ଗମୁଛି ବିଶାକ୍ତ ଭ୍ରମ
ମୋର ଜନ୍ମ ହୁଏତ ଇଶ୍ଵରଙ୍କୁ ଜଣା ।

ସେତବେଳକୁ ମୁଁ ସରୁଥିଲି!
ପୃଥିବୀ ଯେମିତି ଥିଲା ସେମିତି ଅଛି
ନଈ କୂଳର ବେଣାପାଟ ମୂଳେ
ଗୋଟେ ଠିକଣା ବିହୀନ ନିଦକୁ
ପୁରାତଳେ ଜାକି।।

PUBLISHED BY

Sarika Singh
Sarika Singh
I am a blogger and writer by passion and a chemical engineer by profession. If you find this article useful, please share it with your friends & family.

ସେୟାର କରନ୍ତୁ :

Share on facebook
Share on whatsapp
Share on telegram
Share on email

ଅଧିକ ପଢନ୍ତୁ :