Share on facebook
Share on whatsapp
Share on telegram
Share on email

ଗଳ୍ପ – ଚଢ଼େଇର ଘର

ଗାଳ୍ପିକ – ହରେକୃଷ୍ଣ ସାହୁ

ବଦ୍ରି ପ୍ରସାଦ ଘର ପଛ ପଟ ପିଣ୍ଡାରେ ଗୋଟେ ଚେୟାର ପକାଇ ବସିଥିଲେ। ସ୍ୟାଡ଼କୁ କୁଆଡ଼େ ଗୋଟେ ଚାହିଁଥିଲେ। ତାଙ୍କ ଘର ପଛ ପାଖରୁ ଅନେକ ଦୂର ପର୍ଯ୍ୟନ୍ତ ଚାଷଜମି ବ୍ୟାପିରହିଛି। ବହୁତ ଦୂର ପର୍ଯ୍ୟନ୍ତ। ଏଇ ଗତବର୍ଷା ପରେ ପରେ ସେଠି ଧାନ ବୁଣା ହୋଇଛି। ତେଣୁ କଅଁଳିଆ ଧାନଗଛ ଉଠି ଆକାଶ ନିକଟ ପର୍ଯ୍ୟନ୍ତ ବିସ୍ତିର୍ଣ୍ଣ ସ୍ଥାନଟା ସବୁଜ ଦେଖା ଯାଉଛି। ସେହି ଆକାଶ ପାଖରୁ ତିନୋଟି ଇଲେକ୍ଟ୍ରି ତାର ଦୌଡ଼ି ଆସି ଗାଁ ଭିତରେ ପସି ଯାଇଛନ୍ତି। ପ୍ରତିଦିନ ଠିକ ଏହି ସମୟରେ ସେ ତାର ଉପରେ ଚଢ଼େଇମାନେ ବସନ୍ତି।

ଆଶୁତୋଷ ଘର ଭିତରେ ବସି ଝରକା ବାଟେ ବାପାଙ୍କୁ ଦେଖି ପାରୁଥିଲା। ବାପା ଅନେକ ସମୟ ହେଲା ଆକାଶ ଆଡ଼କୁ ଚାହିଁ ବସିଛନ୍ତି। କ’ଣ ଦେଖୁଛନ୍ତି ? ଆଶୁତୋଷ ଆକାଶକୁ ଚାହିଁଲା। ମେଘମାନେ ଆକାଶରେ ଆଙ୍କୁଥିବା ଚିତ୍ରକୁ ବାପା ଦେଖୁଛନ୍ତି କି ? ଆକାଶରେ ଯେତେବେଳେ ମେଘମାନେ ଗୋଟେ ମଧ୍ୟମ ଗତିରେ ଚାଲିଥାନ୍ତି ସେମାନେ ଅନେକ ଆକୃତି ତିଆରି କରନ୍ତି। ବାଘ, ସିଂହ, ଛେଳି, ମଣିଷ, ଘର, ମନ୍ଦିର ସବୁକିଛି ମେଘରେ ଆଙ୍କି ହୋଇଯାଏ। ଚଳଚିତ୍ର ଭଳି ଚାଲିଥାଏ। ଗୋଟେ ରୂପ ତିଆରି ହୁଏ, ଭାଙ୍ଗି ଯାଏ, ଆଉଗୋଟେ ତିଆରି ହୁଏ। ଆଶୁତୋଷ ଦେଖିଲା ଆକାଶରେ ସେପରି ରଂଗ ବେରଂଗର ମେଘ ନାହିଁ। ସବୁ କଳା ହୋଇଯାଇଛି। ବର୍ଷିବା ପାଇଁ ପ୍ରସ୍ତୁତ ହେଉଥିବା କଳାହାଣ୍ଡିଆ ମେଘ। ସେ ବି ଭାସି ଚାଲିଛି। କିନ୍ତୁ ସେଥିରେ ଚିତ୍ର ନାହିଁ। ଓଜନିଆ ହୋଇ , ତଳକୁ ଖସି ଆସି ଭାସୁଛି। ସତେ ଯେମିତି ତୁଳା ଭଳି ଉଡ଼ି ବୁଲୁଥିବା ରଂଗିନ ବାଦଲକୁ କିଏ ଟାଣି ଆଣି ଚକଟି ପକାଇ କାଦୁଅ କରିଦେଇଛି। ଭସେଇ ଦେଇଛି ଆକାଶରେ।

ପାଗର ପୂର୍ବାନୁମାନ କରି ଆଜି ଚଢ଼େଇମାନେ ସୂର୍ଯ୍ୟାସ୍ତ ଦେଖିବା ପାଇଁ ତାର ଉପରକୁ ଆସି ନ ଥିଲେ। ଅନେକ ଦୂରରେ ବସିଥିଲା ମାତ୍ର ଗୋଟିଏ ଚଢ଼େଇ। ବଦ୍ରି ପ୍ରସାଦ ସେ ଚଢ଼େଇଟିକୁ ଚାହିଁଥିଲେ। ପ୍ରଥମ ଯେତେବେଳେ ସେଠି ଦୃଷ୍ଟି ପଡ଼ିଲା ଭାବିଲେ, ଚଢ଼େଇ ଭଳି ଦେଖାଯାଉଥିବା ଆକାଶର ବାଦଲ ଟୁକୁଡ଼ାଏ ବୋଧହୁଏ। ଆକାଶକୁ ଚାହିଁଲେ। ସବୁ ମେଘ ଭାସୁଥିବା ବେଳେ ଟୁକୁଡ଼ାଟିଏ ସେଠି ଲାଖି ରହିବ କେମିତି ? ନା ସେଇଟି ଚଢ଼େଇ।

ଏକୁଟିଆ ଚଢ଼େଇଟିଏ। ମେଘ ବର୍ଷିବ ବୋଲି କ’ଣ ଜାଣି ପାରୁନାହିଁ ? ଯେ କୌଣସି ମୁହୂର୍ତ୍ତରେ ବର୍ଷା ଆରମ୍ଭ ହୋଇଯାଇପାରେ। ସେତେବେଳେ କ’ଣ କରିବ ? ସେ ପଟକୁ ଆଖି ପାଉନାହିଁ। କେବଳ ଆକାଶ ଦେଖାଯାଉଛି। ଆମ ଗାଁକୁ ଆସିଲେ ବି ପହଞ୍ଚିଲା ବେଳକୁ ପୁରା ଭିଜି ଯାଇଥିବ। ଚଢ଼େଇଟା ଉଡ଼ିଗଲେ ରହିବ କେଉଁଠି ? ତା’ର ଗୋଟେ କାଠିକୁଟାର ବସା ଥିବତ ? ନା, ବୋଧହୁଏ ନ ଥିବ। ଚଢ଼େଇମାନେ କେବଳ ଅଣ୍ଡା ଦେଲାବେଳେ ବସା ବାନ୍ଧନ୍ତି। ଅଣ୍ଡା ଫୁଟି ଚଢ଼େଇ ଉଡ଼ିଗଲେ ମା’ ବାପା ବି ଉଡ଼ି ଯାଆନ୍ତି। ଆଉ ସେମାନଙ୍କର ପରସ୍ପର ମଧ୍ୟରେ କେବେ ଦେଖା ହୁଏକି ନାହିଁ କିଏ ଜାଣେ ! ନିଜ ପରିବାରକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ଏମିତି ଆକାଶରେ ଉଡ଼ାଇ ଦେବା କେତେ ଦୁଃଖଦାୟକ ସତେ। ବାପା,ମା’, ଭାଇ, ଭଉଣୀ ହରାଇଥିବା ସେମିତି ଅନାଥ ଚଢ଼େଇଟିଏ। ନହେଲେ ଏମିତି ଏତେ ସମୟ ଧରି କେହି କ’ଣ ଏକୁଟିଆ ରହିପାରିବ।

ବର୍ଷା ଟୋପେ ଟୋପେ ପକାଇଲା। ବଦ୍ରି ପ୍ରସାଦ ଦୁଃଖର ସହିତ ସେ ଚଢ଼େଇଟିକୁ ଚାହିଁଥିଲେ। ମନେ ମନେ କହୁଥିଲେ, ତୁ ଜମା ଡରନା। ମୁଁ ତୋ ସାଙ୍ଗରେ ଅଛି। ଏଇଠି ବସି ଭିଜୁଛି।

ଆଶୁତୋଷ ବାହାରି ଆସି ବାପାଙ୍କ କଡ଼ରେ ଠିଆହେଲା। କହିଲା, ବାପା , ବର୍ଷା ପଡ଼ିଲାଣି। ଘର ଭିତରକୁ ଆସ।

ବଦ୍ରି ପ୍ରସାଦ କହିଲେ, ଆଶୁ, ଦେଖିଲୁ ସେ ଚଢ଼େଇଟାକୁ। ଦେଖିଲୁ ? ବର୍ଷା ହେଲାଣି, ତେବେବି ସେ ଚୁପଚାପ ବସିଛି। ଚଢ଼େଇଟା ଯିବ କୁଆଡ଼େ ? ଚଢ଼େଇମାନଙ୍କ ଦସ୍ତୁର ହେଲା ଅଣ୍ଡା ଦେଲାବେଳେ ଘର ଗଢ଼ିବେ। ଏହାର ତ ବସା ଫସା କିଛି ନ ଥିବ। ଏ ଭୀଷଣ ବର୍ଷାରେ ରହିବ କେଉଁଠି ?

ବାପାଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ଆଶୁତୋଷର କ୍ଷମତା ନାହିଁ। ଓଲଟା ସେ ଏପରି ପ୍ରଶ୍ନସବୁ ଦିନେ ବାପାଙ୍କୁ ପଚାରୁଥିଲା, ଯେତେବେଳେ ଜାଣିବାର ଜିଜ୍ଞାସା ଥିଲା। କିନ୍ତୁ ବାପାଙ୍କ ପ୍ରଶ୍ନରେ ଜିଜ୍ଞାସା ନାହିଁ। ପ୍ରଶ୍ନଟି ଭାବପ୍ରବଣତାର। ତେଣୁ ଆଶୁତୋଷ ଚଢ଼େଇର ଠିକଣା ଜାଣିଥିବା ଭଳି ଉତ୍ତର ଦେଲା, ଏ ଚଢ଼େଇଟା ଆମ ଗାଁର। ବର୍ଷା ପଡ଼ିଲାଣି , ଏବେ ସଙ୍ଗେ ସଙ୍ଗେ ଉଡ଼ିଆସି ଗାଁରେ ପସିଯିବ।

ବଦ୍ରି ପ୍ରସାଦ ଠିଆ ହୋଇ ଆଶୁତୋଷକୁ ଚାହିଁଲେ। ପୁଅ ଦେଖାଗଲା, ଘର ଦେଖାଗଲା, ବସା ଦେଖାଗଲା। ଅଖି ମିଶିଯିବାରୁ ବଦ୍ରି ପ୍ରସାଦ ଟିକେ ହସିଦେଲେ। ଆଶୁତୋଷ ଦେଖିଲା ବାପା ଟିକେ ଲାଜେଇ ଯାଇଛନ୍ତି।

ହସ ଭିତରେ ବାପା ଚଢ଼େଇର ଦୁଃଖକୁ ଲୁଚାଇ ଦେଇଥିଲେ। ଚଢ଼େଇର ଦୁଃଖ ନା ବାପାଙ୍କ ଦୁଃଖ।

PUBLISHED BY

Sarika Singh
Sarika Singh
I am a blogger and writer by passion and a chemical engineer by profession. If you find this article useful, please share it with your friends & family.

ସେୟାର କରନ୍ତୁ :

Share on facebook
Share on whatsapp
Share on telegram
Share on email

ଅଧିକ ପଢନ୍ତୁ :