ପ୍ରଥମ ଛୁଆଁରେ ପ୍ରେମ

● ହିମାଂଶୁ କୁମାର ମହାପାତ୍ର

ପ୍ରଥମ ଛୁଆଁରେ ଆରମ୍ଭ ହେଇଥିବା ଏ ପ୍ରେମ କାହାଣୀ ଏବେର ନୁହେଁ। ଅନେକ ବର୍ଷ ତଳର।ଏଇ କୋଡିଏ ବାଇଶି ବର୍ଷ ପୂରୁଣା ହେଇପାରେ। ଏବେ ଚାଲନ୍ତୁ ଯିବା କାହାଣୀକୁ।

କାହାଣୀର ଆରମ୍ଭ ଗୋଟିଏ ବିବାହ ମଣ୍ଡପରୁ।ରାଜ ଉଆସ ଭଳି ସଜା ହେଇଥିବା ଗୋଟେ ବିବାହ ମଣ୍ଡପ ରଂଗ ବେରଂଗ ଆଲୁଅରେ ଚକମକ କରୁଚି ।କେତେ ରକମର ଖାଇବା ପିଇବା।ଅତିଥି ମାନଂକର ଯିବା ଆସିବା ଲାଗି ରହିଛି। ଯୋଡି ମହୁରୀରେ ଉଠୁଚି ପଡୁଚି ସାରା ପରିବେଶ।ଆଉ ଏତିକି ବେଳେ ବିବାହ ବେଦୀରେ ନିଜ କନିଆଁ ଅପେକ୍ଷାରେ ବର। କିନ୍ତୁ ଅସଲ କଥାଟି ହେଉଛି ବର କନିଆଁ ପରସ୍ପରକୁ କେବେ ଥରଟିଏ ବି ଆଗରୁ ଦେଖିନାହାଁନ୍ତି।ଏମିତିକି ଫଟୋରେ ବି ନୁହେଁ।

ସେ ବାହାଘରରେ ଯେତେଜଣବି ଥିଲେ ସମସ୍ତଂକ ମୁହଁରେ ଗୋଟିଏ କଥା , “ବର କନିଆଁଂକ ଯୋଡି ଖୁବ୍ ମାନୁଛି। ଏକଦମ ମେଡ୍ ଫର୍ ଇଚ୍ ଅଦର୍ ଟାଇପ୍ ର”। ଏ କଥା ସବୁ ଯେତିକି ଯେତିକି ବର କନିଆଁଂକ କାନରେ ପଡୁଥାଏ ପରସ୍ପରକୁ ଦେଖିବାକୁ ସେମାନଂକ ଭିତରେ ଆଗ୍ରହ ସେତିକି ବଢୁଥାଏ।ତା ପରେ ବି ସେମାନେ ଭାବୁଥିଲେ ଯେ କୌଣସି ବର କନିଆଁକୁ ଦେଖିଲେ କେହିବି ଏପରି ମତାମତ ଦେବା ସ୍ୱାଭାବିକ।

କନିଆଁ ତା ବାନ୍ଧବୀ ମାନଂକ ମେଳରେ ବସିଥିଲା ସତ ହେଲେ ସେ ଥିଲା ଗୋଟେ ଅଲଗା ଦୁନିଆରେ।ଗୋଟେ ଅଜବ ଅନୁଭବ ଭିତରେ ସେ ଗତି କରୁଥିଲା।ବାପଘରକୁ ପଛକରି ଚାଲିଯିବାର ଦୁଃଖ’ତ ତା ଭିତରେ ଥିଲା ତଥାପି ନିଜ ଭାଗ୍ୟରେ ଲେଖାଥିବା ସାଥିକୁ ପ୍ରଥମ ଥର ଭେଟିବାର ଉନ୍ମାଦନା ବି ଥିଲା।

ଶେଷରେ ବେଦୀରୁ ଡାକରା ଆସିଲା କନିଆଁ ପାଇଁ। ଦେହରେ ଲାଲ ରଂଗର ଶାଢୀ,ମଥାରେ ହାତେ ଲଂବର ଓଢଣୀ ସହ ପାଉଜିର ଛମ ଛମ୍ ଶବ୍ଦରେ କନିଆଁ ସେଠି ପହଂଚିଲା ବେଳକୁ ସମସ୍ତେ ତଟସ୍ଥ ହେଇ ଚାହିଁଛନ୍ତି।ତଥାପି ପରସ୍ପରକୁ ଦେଖିବାର ସୁଯୋଗ ଜୁଟୁନି ବର କନିଆଁଂକୁ। ବର ପାଖରେ କନିଆଁ ବସିଲାବେଳକୁ ଗୋଟାପଣ ଥରୁଥାଏ ଯେମିତି।

ବ୍ରାହ୍ମଣର ମନ୍ତ୍ର ଆରମ୍ଭ ହେଲା।ବର କନିଆଁ ନିରବ।

କିଛି ସମୟ ସେମିତି ଚାଲିଲି।ବର କନିଆଁଂକ ଭିତରେ ଧୈର୍ଯ୍ୟ ସରିସରି ଆସୁଥାଏ। ଠିକ୍ ଏତିକି ବେଳେ ବ୍ରାହ୍ମଣ କହିଲା ହାତଗଣ୍ଠି ପାଇଁ ପ୍ରସ୍ତୁତ ହୁଅ।

ଦୁଇଜଣଂକ ହୃଦୟକୁ ଚାଉଁକିନା ଲାଗିଲା। ଦୁଇଜଣହିଁ ଜାଣିଥିଲେ ସେମାନଂକ ଜୀବନର ଏ ଗୋଟେ ଗୁରୁତ୍ତ୍ୱପୂର୍ଣ ମୁହୁର୍ତ୍ତ।

ବ୍ରାହ୍ମଣ ନିର୍ଦ୍ଦେଶରେ ପ୍ରଥମେ ହାତ ବଢାଇଲା ବର। ଓଢଣୀ ଫାଂକରୁ ଲାଜେଇ ଲାଜେଇ ଦେଖୁଥିଲା କନିଆଁ। ହଠାତ କଣ ହେଲା କେଜାଣି ଏତେ ବେଳ ଯାଏ ଅଚିହ୍ନା ଅଚିହ୍ନା ଲାଗୁଥିବା ଲୋକଟା ଯେ କେଉଁ ଯୁଗରୁ ପରିଚିତ ଭଳି ଅନୂଭବ ହେଲା କନିଆଁକୁ।

ଏବେ କନିଆଁର ପାଳି।ବ୍ରାହ୍ମଣ ନିର୍ଦ୍ଦେଶରେ ବରର ପାପୁଲି ଉପରେ ନିଜ ପାପୁଲି ଥୋଇଲାବେଳକୁ ଅଜାଣତରେ ଆଖି ବୁଜିହେଇଗଲା କନିଆଁର।ନିଜ ଜୀବନ ସାଥିକୁ ପ୍ରଥମଥର ଛୁଇଁଲାବେଳକୁ ଗୋଟାପଣରେ ଥରିବାକୁ ଆରମ୍ଭ କଲା ସେ।

ବ୍ରାହ୍ମଣ ମନ୍ତ୍ର ପଢା ଆରମ୍ଭ କଲା। କନିଆଁ ସେମିତି ଥରୁଥାଏ।

ବର ବୁଝିପାରିଲା ବୋଧେ। ଆଗ ଅପେକ୍ଷା ଟିକେ ଜୋରକରି ଜାବୁଡି ଧରିଲା କନିଆଁ ହାତକୁ।ସେଇଠୁ କନିଆଁ ବୁଝିଲା ବର ବୋଧେ ତାକୁ କହୁଛି , ‘ ଏତେ ଭୟ କ’ଣ ପାଇଁଯେ? ମୁଁ ତମ ସହ ଅଛି ପରା ସାରା ଜୀବନ’। ଏତିକି ଅଶ୍ୱାସନା ଯଥେଷ୍ଟ ଥିଲା ତା ପାଇଁ।

ଆଗଠାରୁ ଅଧିକ ସହଜ ହୋଇଗଲା କନିଆଁ। ଆଗଠାରୁ ଅଧିକ ଯୋରରେ ସେ ଜାବୁଡି ଧରିଲା ବରର ହାତକୁ।

ବ୍ରାହ୍ମଣର ମନ୍ତ୍ର ସେମିତି ଚାଲିଥାଏ।

ତଥାପି ଏ ଯାଏ ପରସ୍ପରକୁ ଦେଖିବାର ସୁଯୋଗ ପାଇଲେନି ବର କନିଆଁ ।

Sarika Singh
Sarika Singh

ସେୟାର କରନ୍ତୁ :

Share on facebook
Share on whatsapp
Share on telegram
Share on email

ଅଧିକ ପଢନ୍ତୁ :