କବିତା : ସନ୍ଧିପତ୍ର

କବି : ସୋନାଲି ପଣ୍ଡା

ମୁଁ ଲେଖି ଦେଉଛି ମୋର ପ୍ରତ୍ୟେକଟି “ମଶାଲ୍” ସେମାନଙ୍କୁ,
ଯେଉଁମାନେ ଉପଭୋଗ କରନ୍ତି ଅନ୍ଧାର !

ଯେଉଁମାନଙ୍କ ଅଭିଧାନରେ ସଂଧ୍ୟା ନାହିଁ
ଏବଂ ଯେଉଁମାନଙ୍କ ଷ୍ଟୋର୍ ରୁମ୍,
ଅଣ୍ଡର ଗ୍ରାଉଣ୍ଡ,
ଏବଂ ଫୁଠପାଥ୍ ରେ ପଡ଼ି ରହିଛନ୍ତି
ଭୋକ – ଭୟ – କଂକାଳ !

ମୋର “ସ୍ବପ୍ନ” ମାନଙ୍କୁ ଲେଖୁଛି ସେଇ ଶିଳ୍ପୀ ମାନଙ୍କ ଉଦ୍ଦେଶ୍ୟରେ,
ଯେଉଁମାନେ ଗଢ଼ି ପାରିବେ ଆଗାମୀ ଦିନର ଐତିହ୍ୟ,
ଘଞ୍ଚ ଜଙ୍ଗଲ, ପରାର୍ଦ୍ଧ ପରାର୍ଦ୍ଧ ପଦ୍ମପତ୍ର – କଇଁଫୁଲ
ଗର୍ଭଗୃହ – ମାଟି ଦୀପ ଏବଂ ଭବିଷ୍ୟତ – ସୁସ୍ଥ, ସବଳ !

ମୋର ତମାମ “ଶିକ୍ଷା ଓ ସଂସ୍କାର” ଅଜନ୍ମା ଶିଶୁମାନେ ନିଅନ୍ତୁ !
ଆରଂଭରୁ ଶିଖି ଯାଆନ୍ତୁ ସେମାନେ,
କେଉଁଠି ଖୋଲିବାକୁ ହୁଏ ମୁହଁ ବିନା ଶବ୍ଦରେ
ଏବଂ କେଉଁଠି ନିରବରେ ଚଲାଇବାକୁ ହୁଏ ପିସ୍ତଲ୍ !

ମୋ ଛାତିର “ଅଙ୍ଗାର” ସବୁକୁ ମୁଁ ସ୍ଵଇଚ୍ଛା ରେ ଦେଉଛି ଏ ଗଛ ମାନଙ୍କୁ
ସେମାନେ ପ୍ରତିବାଦ କରି ଶିଖନ୍ତୁ ନ୍ୟାୟ ସପକ୍ଷରେ !

ଅମ୍ଳଜାନ ଜୀବନଧାରଣ ର ଏକମାତ୍ର ଦାୟ !
ମିଛ ! ମିଛ ! ମିଛ !

ମୋର “ଗାମ୍ଭୀର୍ଯ୍ଯ ଓ ଆକର୍ଷଣ” ନିଅନ୍ତୁ ଏ ଦେଶର କବି ମାନେ,
ଭାଷା, ଭୟ, ଶୈଳୀର ନିର୍ବିଶେଷରେ ଲେଖାଯାଉ “ସାହିତ୍ୟ” !

ନିଜ ନିଜର କଲମ ଧାରରେ ଚିରି ପକାନ୍ତୁ ସେମାନେ,
ସବୁ ସବୁ ଅପ୍ରାକୃତିକ ହୃଦୟ ଓ ମସ୍ତିଷ୍କ !

ତେବେ ଯାଇ ମୋ ଦେଶରେ “ଶାନ୍ତି ରକ୍ଷା” ହେବ !

ମୋ “ଅହଂକାର” ନିଅନ୍ତୁ ମୋ ଦେଶର ପ୍ରତ୍ୟେକ ;
ଶ୍ରମିକ
କୃଷକ
ଓ ସୈନିକ !

ସେମାନଙ୍କ ବ୍ୟତୀତ କିଏ ବା ଏସବୁର ଯୋଗ୍ୟ !

ଶେଷରେ “ମୃତ ଦେହ” ନିଅ ମୋର ;
ଯିଏ ପାରିବ !

ପ୍ରଥମେ କର୍ଣ୍ଣଫ୍ଲୋର୍ ରେ ଗୋଳାଇ ରଖ ହୃତପିଣ୍ଡ,
ହିମୋଗ୍ଲୋବିନ୍,
ସାଇନାଇଡ୍ ଓ ଆତଙ୍କ !

ସାହସୀ ହୁଅ : ଦୁଃସାହସୀ ହୁଅ
ଅଗ୍ନି ହୁଅ : ଆଗ୍ନେୟ ହୁଅ
ପ୍ରେମୀ ହୁଅ : ବିପ୍ଳବୀ ହୁଅ !

ମୋର ବିଶ୍ବାସ ତୁମେ ଯେ କେହି ବି ହୁଅ,
ଏକମାତ୍ର ତୁମେ ଇ’ ତ ଧରେଇ ପାରିବ ନିଆଁ
ରକ୍ତରେ, ମାଂସରେ
ତତ୍କାଳୀନ ଦୁର୍ବ୍ଯବସ୍ଥା ରେ
ଯାହା ଆମେ ପାରିନାହୁଁ ; ଯାହା ଆମେ କରିନାହୁଁ ।

ଲଢ଼ି ଚାଲ ; ଲଢ଼ି ଚାଲ
ହେଃ ପ୍ରିୟ ଉତ୍ତର ଦାୟାଦ !
ବିନା ଯୁଦ୍ଧରେ,
ଦିନେ ନା ଦିନେ ତୁମେ ଇ’ ତ ପୃଥିବୀରେ “ସିକନ୍ଦର” ହେବ !

ନହେଲେ ଏ “କବିତା” ଆଉ କେବେ କାମରେ ଆସିବ ??

❤️

Sarika Singh
Sarika Singh

ସେୟାର କରନ୍ତୁ :

Share on facebook
Share on whatsapp
Share on telegram
Share on email

ଅଧିକ ପଢନ୍ତୁ :